ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ

ଷ୍ଟାରଓଡିଶାନ୍ୟୁଜ (ଭୁବନେଶ୍ୱର):ଗୃହରକ୍ଷୀମାନେ ପୋଲିସର ଏକ ଅଭିନ୍ନ ଅଙ୍ଗ। ରାଜ୍ୟରେ ଗୃହରକ୍ଷୀମାନେ ବହୁତ ଭଲ କାମ କରୁଛନ୍ତି। ୨୦୨୦ରୁ ଗୃହରକ୍ଷୀ ନିଯୁକ୍ତି ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ଉଠାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଖାଲିଥିବା ୨୪୧୬ଟି ପଦବୀ ପୂରଣ କରାଯିବ। ଏଥିସହିତ ୨୫୮୪ଟି ନୂତନ ଗୃହରକ୍ଷୀ ପଦବୀ ମଧ୍ୟ ସୃଷ୍ଟି କରାଯିବ। ସମୁଦାୟ ୫ ହଜାର ଗୃହରକ୍ଷୀ ପଦବୀ ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିସହିତ ଗୃହରକ୍ଷୀମାନଙ୍କର ଦୈନିକ ଭତ୍ତା ବୃଦ୍ଧି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଗୁରୁବାର କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ପାଇଁ ଏମରଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ(ଇଆର୍‌ଏସ୍‌ଏସ୍‌) ଯୋଜନାରେ ୩୦ଟି ଜରୁରିକାଳୀନ ପ୍ରଶମନ ସହାୟତା ଯାନର ଲୋକାର୍ପଣ କରିଛନ୍ତି।


ପୋଲିସ କମିଶନରେଟ୍‌ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ୩୦ଟି ନୂଆ ଯାନ ପୋଲିସଙ୍କ କାର୍ଯ୍ୟ ଦକ୍ଷତାକୁ ସୁଦୃଢ଼ କରିବ। ଏଗୁଡ଼ିକ ସାଧାରଣ ଗାଡ଼ି ନୁହେଁ। ଏଗୁଡ଼ିକ ହେଉଛି ଗୋଟିଏ ଗୋଟିଏ ସୁରକ୍ଷା ରଥ। ନ୍ୟାୟ, ଶୃଙ୍ଖଳା, ଭୟମୁକ୍ତ ବାତାବରଣ ଓ ଅପରାଧମୁକ୍ତ ସମାଜର ପ୍ରତୀକ। ଏହି ଗାଡ଼ିଗୁଡ଼ିକ ଯେତିକି ଗଡ଼ିବ ଲୋକମାନେ ସେତିକି ନ୍ୟାୟ ପାଇବେ ଓ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ିବ। ପୋଲିସ ବାହିନୀକୁ ଆହୁରି ସଶକ୍ତ କରିବା ପାଇଁ ଗୃହ ବିଭାଗରେ ପ୍ରାୟ ୧୦ ହଜାର ପଦବୀ ଖୁବ୍‌ ଶୀଘ୍ର ପୂରଣ କରାଯିବ।
ଇଆର୍‌ଏସ୍‌ଏସ୍‌ ଯୋଜନାରେ ଲୋକାର୍ପିତ ହୋଇଥିବା ୩୦ଟି ଯାନ ମଧ୍ୟରୁ ଭୁବନେଶ୍ୱର ପାଇଁ ୨୨ଟି ଏବଂ କଟକରେ ୮ଟି ଗାଡ଼ି କାର୍ଯ୍ୟ କରିବ। ପୂର୍ବରୁ ଅଚଳ ହୋଇଥିବା ପିସିଆର୍‌ ଗାଡ଼ିଗୁଡ଼ିକ ବଦଳରେ ଏହି ନୂତନ ଯାନ ମଧ୍ୟ କାର୍ଯ୍ୟ କରିବ। ଏହି ଇଆର୍‌ଏସ୍‌ଏସ୍‌ ଯୋଜନା ଦ୍ୱାରା ପୋଲିସ ବ୍ୟବସ୍ଥାର ସୁଦୃଢ଼ୀକରଣ ହେବା ସହ ସୁରକ୍ଷା ବାତାବରଣ ସୃଷ୍ଟି ହେବ। ଏଥିସହିତ ଆଗାମୀ ଦିନରେ ପାଟ୍ରୋଲିଂ, ଅପରାଧୀ ଏବଂ ପୀଡ଼ିତଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ପୋଲିସକୁ ହାଇସ୍ପିଡ ଗାଡ଼ି ଯୋଗାଇ ଦିଆଯିବ।
ରାଜ୍ୟ ସରକାର ପୋଲିସର ସାମର୍ଥ୍ୟ ଓ ଶକ୍ତି ବୃଦ୍ଧି ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ସମାଜରେ ଲୋକମାନଙ୍କ ପାଇଁ ଜଣେ ଜଣେ ସାହାଯ୍ୟକାରୀ ବନ୍ଧୁ ଭାବେ କାମକରି ପୋଲିସର ଭାବମୂର୍ତ୍ତି ଆହୁରି ଉଚ୍ଚସ୍ତରକୁ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଇଆର୍‌ଏସ୍‌ଏସ୍‌ ଯୋଜନା ହେଉଛି ଏକ କେନ୍ଦ୍ର ସରକାରଙ୍କ ଯୋଜନା। ଦିଲ୍ଲୀର ନିର୍ଭୟାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ରେ ଜରୁରିକାଳୀନ ପରିସ୍ଥିତିରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ସ୍ବାଗତ ଭାଷଣ ଦେଇ କହିଥିଲେ, ବାତ୍ୟା ‘ଦାନା’ ସମୟରେ ଆମର ଏହି ଇଆର୍‌ଏସ୍‌ଏସ୍‌ ଯାନଗୁଡ଼ିକ ଲୋକମାନଙ୍କୁ ପ୍ରଶଂସନୀୟ ସେବା ଯୋଗାଇ ଦେଇଛି। ଏହି ନୂତନ ଯାନଗୁଡ଼ିକ ଭୁବନେଶ୍ୱର-କଟକ ଜନସାଧାରଣଙ୍କୁ ଉପଯୁକ୍ତ ଓ ତ୍ୱରିତ୍‌ ସେବା ଯୋଗାଇଦେବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଦୟାଲ ଗଙ୍ଗୱାର ଉପସ୍ଥିତ ଥିଲେ। ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ଧନ୍ୟବାଦ ଦେଇଥିଲେ।

Related posts

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ଏବଂ ପ୍ରକୋଷ୍ଟ ଓ ଲିଗାଲ ସେଲ୍ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ

Star Odisha News

ଟଙ୍କା ପାଇଁ ମହାଭାରତ

Star Odisha News

ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

Star Odisha News

Leave a Comment